ବନ୍ଧୁତ୍ବ (ସମ୍ପର୍କ)
*********

ଅନେକ ଲୋକ ସହିତ
ଦେଖାହୁଏ ଏଇ ମାନବ ଜୀବନରେ
କିଛି ତ ଭୁଲି ହୋଇଯାଏ
ଆଉ କିଛି ମନେ ରହେ ହୃଦୟ ଭିତରେ ।।

ଯେମିତି କିଛି ବନ୍ଧୁ
ଅତି ଅଳ୍ପ ଦିନର ସମ୍ପର୍କରେ ନିବିଡ଼ତା
ନିର୍ମଳ ଭାବମୂର୍ତ୍ତି ଆଉ
ଦୁଃଖସୁଖର ସାଥି ହେବା ମାନବିକତା ।।

କେହି କିଛି ଦେଇ
ସନ୍ତୁଷ୍ଟ କରିପାରିବନି କାହାର ମନକୁ
ଜୀବ ଥିବା ଯାଏ
ଅଟେ ନିରର୍ଥକ ମୋହ ମାୟା ସବୁ।।

ମନକଥା ଖୋଲି
କହିବାକୁ ଲାଗେ ସୁଖ ବନ୍ଧୁଠାରେ
କହିଦେଲା ପରେ
କିଛିଟା ଆଶ୍ବସ୍ତି ଲାଗିଥାଏ ହୃଦୟରେ ।।

କେବେ କିଛି ଯଦି
ଭୁଲ ହୁଏ ଜାଣତରେ ବା ଅଜାଣତରେ
କ୍ଷମା କରିଦିଏ
ବନ୍ଧୁ ତାହାର ଉଦାର ହୃଦୟ କନ୍ଦରେ ।।

ବନ୍ଧୁତ୍ବର ପରିସର
ଏବେ ନେଟ ଯୁଗରେ ହେଲାଣି ବିଶାଳ
ଫେସବୁକ ହ୍ଵାଟ୍ସଆପ
ଅଧୁନା ସୋସିଏଲ ମିଡ଼ିଆର ସବୁ ଖେଳ ।

ମୁଖା ପିନ୍ଧା ଲୋକ
ନିଜ ସ୍ବାର୍ଥ ସାଧନ ପାଇଁ କରନ୍ତି ନାଟକ
କାମ ସରି ଗଲେ
ସବୁ ଭୁଲିଯାନ୍ତି ତୁମ ଉପକାରଗୁଡିକ ।।

କିନ୍ତୁ ପ୍ରକୃତରେ
ଦୁର୍ବିସହ କାଳେ ଯିଏ ଠିଆହୁଏ ପାଖରେ
ବନ୍ଧୁତ୍ବର ମାନେ
ସିଏ ହିଁ ବୁଝିଛି ସତରେ ଏହି ଦୁନିଆଁରେ ।।

ଈଶ୍ଵରଙ୍କ ସୃଷ୍ଟି
ଶ୍ରେଷ୍ଠ ଜୀବ ମାନବ ନିଆରା ଆଉ ବିଚିତ୍ର
ସବୁ ତାଙ୍କ ଭିଆଣ
ସ୍ନେହ ପ୍ରେମ ଭକ୍ତି ଦୟା କ୍ଷମା ମୋହ ମାତ୍ର ।।

~~~~~~~~~~~~~~~~~~~~~~
ପ୍ରେମାନନ୍ଦ ବେହେରା
ସହକାରୀ ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ପଦ୍ମପୁର, ଜିଲ୍ଲା - ବରଗଡ଼
ମୋ.ନଂ. ୯୪୩୮୨୯୨୩୧୩