" ମୋ ଜନ୍ମଭୂମି "
       ପବିତ୍ର ଉତ୍କଳ ଜନ୍ମଭୂମି ମୋର ରାଜ୍ୟର ନାମ ଓଡିଶା
ମହୁଠାରୁ ମିଠା ମା' ଅଧର କଥା, ଓଡ଼ିଆ ମୋ' ମାତୃଭାଷା।।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳାରେ ପ୍ରାଚୁର୍ଯ୍ୟର ପୂର୍ଣ୍ଣ ଧାରା
ବାରମାସେ ତେର ପରବ ଆମର ସଂସ୍କୃତି ଏ' ଅପାସୋରା।।
ମୋ' ଦେହର ପ୍ରତି ରକ୍ତକଣିକାରେ ପ୍ରବାହିତ ଯା'ର ନାଆଁ
ମାଟିରୁ ଆକାଶ ଯାଏଁ ପରିବ୍ୟାପ୍ତ ସେ' ମୋ' ଜନ୍ମଭୂମି ମାଆ।।ଜନ୍ମଭୂମି ପାଦେ ଚାରିବେଦ ସହ ପୂଣ୍ୟ ଗୀତା ଭାଗବତ
ସରଗ ସୁଷମା ଉଣା ତୋ' ପାଦରେ ଆଦ୍ୟ ଗୁରୁ ଆଦ୍ୟ ମିତ।।
କୋଟି ତପସ୍ୟାର ପୂଣ୍ୟ ପ୍ରାରବ୍ଧରେ ଲଭିଛି ଜନ୍ମ ତୋ' କୋଳେ
ବାଳୁତ  କୈଶୋର ଯୋଉବନ ସ୍ମୃତି ଅପାସୋରା କାଳକାଳେ।।
ସ୍ବର୍ଣ୍ଣପ୍ରସୂ ମାଆ ପାଦଧୌତ କରେ ଜାହ୍ନବୀ ପୀୟୂଷ ବାରି
ଶିରରେ ମୁକୁଟ ହିମାଳୟ ଗିରି ଶୋଭାରେ ସରଗପୁରୀ।।
ଜନମଭୂମିରେ ପ୍ରକୃତିରାଣୀର ସୂର୍ଯ୍ୟ ଉଦୟର ଶୋଭା
ଦିବସ, ଗୋଧୂଳି ସାଥେ ସୂର୍ଯ୍ୟଅସ୍ତ ପ୍ରତି ଦୃଶ୍ୟ ମନଲୋଭା।।
ବାରମାସ, ଷଢ଼ଋତୁ ଗାଏ ସଦା ତ୍ୟାଗ-ତିତୀକ୍ଷାର ଗାଥା
ଜାତି,ଧର୍ମ ନିର୍ବିଶେଷେ ଜନ୍ମଭୂମି ଢାଳଇ ସେନେହ କଥା।।
ବୀର, ବୀରାଙ୍ଗନା, କବି, ମୁନିଋଷି ପିଇ ତୋ'ବକ୍ଷ ପୀୟୂଷ
କଳା ଭାସ୍କର୍ଯ୍ୟରେ, ସିଦ୍ଧସାଧନାରେ, ଯୁଦ୍ଧେ ରଖିଗଲେ ଯଶ।।
ଅହିଂସା, ବିଶ୍ୱାସ ବିଶ୍ୱ ଭାତୃପ୍ରୀତି ସହୃଦୟତାର ତନ୍ତ୍ର
ମାଆର ମମତା,ଶାନ୍ତି, ପ୍ରେମ, ମୈତ୍ରୀ ଏ'ମାଟିର ବୀଜମନ୍ତ୍ର।।
ପୂଣ୍ୟ ଜନ୍ମଭୂମି ତୋ' ଚରଣ ତଳେ ସବୁ ଭାତୃଭଗ୍ନୀ  ଆମେ
କରୁଛୁ ଶପଥ ବଢ଼ାଇବୁ ଯଶ ବିଚ୍ୟୁତ ନହୋଇ କର୍ମେ।।
ଜନ୍ମଭୂମି ପାଦେ କରେ ପ୍ରଣିପାତ ଅତି ଆପଣାର ସିଏ
ଶତଜନ୍ମେ ସୁଝିପାରିବିନି ମା' ତୋ' ମମତାଋଣରୁ ଖିଏ।।
ସବୁ ଜନ୍ମେ ମା' ମିଳୁ ତୋ' ମମତାବୋଳା ସ୍ବାକ୍ଷରର ସଂସ୍କାର
ଜନ୍ମଭୂମି ଟେକ ପାଇଁ ସମର୍ପିତ ହେଉ ଏ'ଜୀବନ ମୋ'ର।। 
              ଈଶ୍ଵରୀ ବେହେରା
             ସୋର, ବାଲେଶ୍ବର