:: ମୋ ଜନ୍ମଭୂମି ::
ଜନନୀ ଗର୍ଭରୁ ଜନମ ହୋଇ ମୁଁ
ପଡିଲି କୋଳେ ଯାହାର,
ସ୍ୱର୍ଗଠୁ ସୁନ୍ଦର ଚତୁର୍ଦ୍ଦିଗ ଶୋଭା
ସେ ତ ଜନ୍ମଭୂମି ମୋର ।।
ମହୋଦଧି ଯାର ଚରଣ ଯୁଗଳ
ଧୋଇଦିଏ ଧୀରେ ବହି,
ଯା କୋଳେ ବଢିଲି ମୁକ୍ତଭାବେ ମୁହିଁ
ସେ ମୋ ପ୍ରିୟ ଜନ୍ମଭୂଇଁ ।।
ନଦନଦୀ ତାର ଗିରି,ବନ,ହ୍ରଦ
ଶୋଭାକରେ ଦୁଇ ଗୁଣିତ,
ଅଚଳ ବକ୍ଷରୁ ଝରି ନିର୍ଝରଣୀ
ଗାଏ ମଧୁର ସଂଗୀତ ।।
ତା କୋଳରେ ଥାଇ ଜହ୍ନ ମୁଁ ଦେଖିଛି
ଦୂର ନୀଳ ଆକାଶର,
ବିହଙ୍ଗର ଗୀତ କର୍ଣ୍ଣେ ମୁଁ ଶୁଣିଛି
ମୁଗ୍ଧକର ସୁମଧୁର ।।
ସ୍ୱର୍ଗୀୟ ସୁଷମା ଯା ଆଗରେ ଫିକା
ହିମଗିରି ଶୋଭେ ଶିରେ ,
ମୋ ଜନ୍ମଭୂମିର ସରି କେହି ନୁହଁ
ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ।।
ଏ ଭୂମିରେ ଦିନେ ଜନ୍ମ ନେଇଥିଲେ
ନେହେରୁ,ସୁବାସ,ଗାନ୍ଧୀ ,
ଦେଶ ସ୍ୱ।ଧିନତା ପାଇଁ ଲଢିଥିଲେ
ମନରେ ସାହସ ବାନ୍ଧି ।।
କେତେ ଜାତି ,ଧର୍ମ,ବର୍ଣ୍ଣ ଥାଇ ଆମେ
ବନ୍ଧା ଗୋଟିଏ ଡୋରୀରେ,
ଗର୍ବ କରି କହେ ଛାତିକୁ ଫୁଲାଇ
ଜନ୍ମ ମୋର ଭାରତରେ ।।
ପ୍ରଥମ ବର୍ଷାର ଜଳବିନ୍ଦୁ ପଡି
ବାସେ ମୋର ଜନ୍ମଭୂଇଁ,
ଶସ୍ୟକ୍ଷେତେ ସ୍ୱର୍ଣ୍ଣ ଫସଲ ଫଳାଏ
ମୋ ଭୂଇଁର ଚାଷି ଭାଇ ।।
ଯେଉଁଠି ଥିଲେ ମୁଁ ଯାହା କରୁଥିଲେ
ଝୁରେ ଜନ୍ମଭୂମି କଥା,
ଜୁହାର କରେ ମୁଁ ଅତି ସରାଗରେ
ତା ଚରଣେ ରଖି ମଥା ।।
ତାହାରି ସନ୍ତାନ ଅଟୁଁ ଆମେ ସର୍ବେ
ନାହିଁ ତାର ପଟାନ୍ତର ,
ତା ଟେକ ରଖିବା ପାଇଁ ହେବ ଯଦି
କାଟି ଦେବା ଆମ ଶିର ।।
- ଜିତେନ୍ଦ୍ର ପାଣ୍ଡେ,ବାଗଉଡାର
ବେଲପଡା,ବଲାଙ୍ଗିର
ମୋ- ୬୩୭୦୯୭୯୬୪୧
0 Comments