ସେନେହର ସରୁ ସୂତା କେରାଟିଏ
ବନ୍ଧା ହୋଇଗଲେ ହାତେ,
ଭାଇ ଭଉଣୀର ଅତୁଟ ବନ୍ଧନ
ଭୁଲି ହୁଏ ନାହିଁ ସତେ ll
ବରଷକେ ଥରେ ଆସିଅଛି ଆଜି
ଭାଇ ଭଉଣୀ ପରବ,
ରାକ୍ଷୀଟିଏ ବାନ୍ଧି ମଙ୍ଗଳ ମନାସି
ଭଉଣୀ କରେ ଗରବ ll
ତୋ ଦୁଃଖରେ ପୁଣି ଦୁଃଖୀ ହେଉଥିବି
ତୋ ଖୁସି ରେ ହେବି ଖୁସି,
ସରଗର ଚାନ୍ଦ ତୋଳି ଆଣି ଦେବି
ଦେ ତୁ ଟିକିଏ ହସି ll
ଗେହ୍ଲା ଭଉଣୀ ମୋ ଟିକିଏ କଥାରେ
କାନ୍ଦି ଦିଏ କଇଁ କଇଁ,
ରାକ୍ଷୀ ର ପାଉଣା ଊଣା କରିବିନି
ମନ ଦୁଃଖ କରୁ କାହିଁ ll
ଅଳି ଅଝଟ ତୋ ସବୁ ସହିଯିବି
ଝାଡି ଦେବି ଦେହ ଧୂଳି,
ରୁଷି ଗଲେ ଥରେ ଗେଲ କରି ତୋତେ
ଶୁଣାଇ ଦେବିଟି ଲୋରି ll
ପୁରାଣ ଯୁଗରୁ ଇତିହାସ ଯାଏ
ଏହି କଥା ଅଛି ସାକ୍ଷୀ,
ରାଇଜ ହେଉ ବା ଦେଶ ହିତ ପାଇଁ
ଭଉଣୀ ବାନ୍ଧିଛି ରାକ୍ଷୀ ll
ବଡ ଦେଉଳର ବଡ ଠାକୁରଙ୍କ
ବଡ ଭାଇ ବଳରାମ,
ଗହ୍ମା ପୂନେଇଁର ପୁଣ୍ୟ ଲଗନେ
ମାତୃ କୋଳ ମଣ୍ଡନ ll
ଅଇଶୁର୍ଯ୍ଯ ବିଭା ସୁଖ ସଉଭାଗ୍ଯ
ପୁରି ଉଠୁ ତୋ ଜୀବନେ,
ମୋହରି ଆଶିଷ ତୋତେ ଲାଗି ଯାଉ
ଏଇ ପବିତ୍ର ବନ୍ଧନେ ll
ରାକ୍ଷୀ ପୁନେଇଁ ର ରାକ୍ଷୀ ଅଛି ସାକ୍ଷୀ
କଥା ଦେଲି ମଥା ଛୁଇଁ,
ଆପଦେ ବିପଦେ ସାହା ହେଉଥିବି
ଆସୁଥିବି ହୋଇ ଭାଇ ll
=========@=========
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com
0 Comments