ନାରୀ ସଶକ୍ତିକରଣ
ନାରୀ ଅଟେ ଦୁର୍ଗା ନାରୀ ମହାକାଳୀ
ନାରୀ ଶକ୍ତି ସ୍ବରୂପିଣୀ
ନାରୀ ନାରାୟଣୀ ନାରୀ ସରସ୍ବତୀ
ନାରୀ ହିଁ ସୃଷ୍ଟିକାରିଣୀ ।୧
ନାରୀତ ଅଟଇ ଜନନୀ ଭଗିନୀ
ନାରୀ ପୁଣି ଅଟେ ଜାୟା
ନିଜ ଶକ୍ତି ବଳେ ଦାନବ ବିନାଶେ
ନାରୀ ରୂପେ ମହାମାୟା ।୨
ନାରୀ ନୁହେଁ ପୁଣି ଅବଳା ଦୁର୍ବଳା
ନାରୀ ନୁହେଁ ଶକ୍ତି ହୀନ
ସଂଗ୍ରାମ କରିଣ ମହତ ରଖଇ
ଇତିହାସେ ତା ପ୍ରମାଣ ।୩
ରାଣୀ ଶୁକଦେଈ ଖୋରଧା ରାଜାଙ୍କୁ
ଯୁଦ୍ଧରେ ଦେଲେ ହରାଇ
ସ୍ବାଧୀନ ସଂଗ୍ରାମେ ରଣ କରିଥିଲେ
ଝାନ୍ସୀରାଣୀ ଲକ୍ଷ୍ମୀବାଈ ।୪
ସୀତାଙ୍କ ଲୁହରେ ଜଳିଗଲା ଲଙ୍କା
ରାବଣ ହେଲା ବିନାଶ
କୁରୁସଭା ତଳେ ନାରୀ ଅପମାନେ
ନାଶ ଗଲା କୁରୁବଂଶ ।୫
ନାରୀ ଲୋଭେ ପୁଣି କୀଚକ ମରିଲା
ଭୀମ ହାତେ ଗଲା ପ୍ରାଣ
ଭ୍ରାତୃବଧୂ ହରି ମହାବଳୀ ବାଳୀ
ରାମ ହାତେ ଗଲା ପ୍ରାଣ ।୬
ଗାନ୍ଧାରୀର ଶାପ କୃଷ୍ଣଙ୍କୁ ପଡିଲା
ଭୋଗିଥିଲେ ଶାପ ଫଳ
ପ୍ରଭୁ ହୋଇ ମଧ୍ୟ ରଖି ପାରିଲେନି
ଧ୍ବଂସ ହେଲା ଯଦୁବଂଶ ।୭
ଆଜିର ନାରୀଯେ ନିଜ ଶକ୍ତି ବଳେ
ରଖିଛି ପରା ସୁନାମ
ବିମାନ ଉଡାଇ ଆକାଶେ ଉଡଇ
ଯୁଦ୍ଧ କ୍ଷେତ୍ରେ ସାଜି ସୈନ୍ୟ ।୮
ଭାରତୀୟ ନାରୀ କଳ୍ପନା ଚାୱଲା
ଯାଇଥିଲେ ମହାକାଶ
ନାରୀ ଶକ୍ତିର ଯେ ସମ୍ମାନ ରଖିଣ
ରଚିଗଲେ ଇତିହାସ ।୯
କେତେ ବୀରାନାରୀ ବୀର ପ୍ରସବିନୀ
ରଖିଛନ୍ତି ଦେଶମାନ
ଅବଳା ଦୁର୍ବଳା କେବେ ନୁହେଁ ନାରୀ
ଶକ୍ତି ତାର ନୁହେଁ ହୀନ ।୧୦
ଝିଅଙ୍କୁ ବଞ୍ଚାଇ ଝିଅଙ୍କୁ ପଢାଇ
ଝିଅଙ୍କୁ ଦେବା ସମ୍ମାନ
ଆମରି ଦେଶରେ ସୁଦୃଢ଼ ରହିବ
ନାରୀ ସଶକ୍ତିକରଣ ।୧୧
ବେଦବ୍ଯାସ ମେହେର
ଗ୍ରାମ:-ଖଇରପାଲି
ଥାନା:-ପଦ୍ମପୁର
ଜିଲ୍ଲା:-ବରଗଡ
ମୋ:-୯୯୩୮୩୩୯୦୨୯
0 Comments