କୃଷକ
***********************
କୃଷକ ବାପୁଡା କାହା ପାଇଁ,
ଖାରା,ବର୍ଷା,ଝଡ,ଶୀତ ସହି ।
ସକାଳେ ଯାଇ ସଞ୍ଜରେ ଫେରେ,
ପଖାଳ କଂସାରେ ପେଟ ଭରେ ।
ନଡା,ଛଣ,ଝାଟି,ମାଟି ଘର,
ପତ୍ନୀ ପାସେ ଥାଏ ନିରନ୍ତର ।
ବଳଦ ଦୁଇଟି ସାଞ୍ଜୁଳିଲେ,
ଜମିରେ ଲଙ୍ଗଳ ଚଷି ଚାଲେ ।।୧।।
କୁକୁର କୁକୁଡା ଛେଳୀ ମେଳେ,
ଦିନ ସେ ବିତାଏ କୌତୁହଳେ ।
ସବୁଜ ଫସଲ ଲହସିଲେ,
ଶସ୍ୟ ଶ୍ୟାମଳାରେ ଖେତ ଝୁଲେ ।
ନିରଳସ ନିଷ୍ଠା କାମ କରେ,
ନିଶ୍ୱାସରେ ତାର ପ୍ରାଣ ଭରେ ।
ନିଷ୍ପାପ ନିରୀହ ଜୀବନରେ,
ନଥାଏ କପଟ ଇର୍ଷା କାରେ ।।୨।।
ସରଳ ଶୁନ୍ଦର ପରିବାର,
ସର୍ବଦା ସହିଷ୍ଣୁ ଚିତ୍ତ ତାର ।
ନାହିଁ କାହାପ୍ରତି,ଈର୍ଷା,ଦ୍ୱେଷ,
ଜିଣି ପାରେ ସେହି ସାର ବିଶ୍ୱ ।
ପର ଆପଣାର ଭେଦ ଭାବ,
ପାସୋରି ପରଷେ ପ୍ରୀତି ଭାବ ।
ପାଷାଣ ଦେହରେ ପ୍ରାଣ ଭରେ,
ପେଟପାଇଁ କେତେ ନାଟ କରେ ।।୩।।
ଜୀବନ ଯନ୍ତ୍ରଣା ସବୁ ଭୁଲେ,
ପରିବାର ତାର ସାଥେ ଥିଲେ ।
ସବୁରି ପାଇଁକି ସେବାକରେ,
ମମତା ମନ୍ଦିରେ ତୋଳି ଧରେ ।
ପାଣି କାଦୁଅରେ ଘାଣ୍ଟି ହୋଇ,
ଆହାର ଯୋଗାଏ ଆମ ପାଇଁ ।
ବନ୍ୟା,ମରୁଡି ଓ ଘରପୋଡି,
ଦାଉ ସାଧୁ ଥାଏ ପ୍ରତି ଘଡି ।।୪।।
ମେଘର ମହ୍ଲାର ଆକାଶରେ,
ମାତିଯାଏ ଦେଖି କାଦୁଅରେ ।
ବାହାଦୁର ସେହି ବୀର ପୁଅ,
ଦେଶ ସେବା କରେ ଅହ ରହ ।
ଦୁଃଖୀ,ରଙ୍କୀ ଙ୍କର ଦୁଃଖ ରାଶି,
ଦୂର କରିଥାଏ ହସି ହସି ।
ଜଗତ ଯାକର ଶ୍ରେଷ୍ଠ ସେହି,
ଯଶ ରଖି ଥାଏ ବଳୀ ଦେଇ ।।୫।।
ସେବା,ଦେବା,ଦୟା ଧର୍ମ କରି,
ସବୁରି ଚିତ୍ତକୁ କରେ ଚୋରୀ ।
ପରମ ପୁରୁଷ ସେହି ଜଣେ,
ପୂଜାସେ ପାଇବ ଦେବଗଣେ ।
ନର ନୁହଁଇ ସେ ନାରାୟଣ,
ନମଇ ମସ୍ତକ ତା ଚରଣ ।
କୃଷକଟେ ସେଯେ କୃଷକଟେ,
ଦୁଃଖ କଷଣରେ କାଳ କଟେ ।।୬।।
****************************
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
କୁଲାଡ,ଭଞ୍ଜଭୂମି,ୟଭଞ୍ଜନଗର,ଗଞ୍ଜାମ
ଭ୍ରାମ୍ୟଭାଷ - ୯୪୩୮୧୮୯୯୪
*******************************
0 Comments