କୃଷକ 

ଜୀବନଦାତା ଅନ୍ନଦାତା,
ଅଟଇ କୃଷକ ।
କୃଷକ ନୁହେଁ ସେ,
ଅଟଇ ମାଟିର ମଣିଷ ।। (୧)

ଅହନିଶି ଖଟେ,
ମୁଣ୍ଡ ଝାଳ ତୁଣ୍ଡରେ ମାରି ।
ଖରା ବର୍ଷା ଶୀତ କାକର,
କାହାକୁ ଖାତିର ନ କରି ।। (୨)

ପଖାଳ ମୁଠାଏ,
ପେଟରେ ଦେଇ ।
କ୍ଷେତକୁ ବାହାରିଯାଏ,
ହଳ ଲଙ୍ଗଳ ନେଇ ।। (୩)

ମାଟି କାଦୁଅରେ,
ବିତଇ ତା ଦିନ ।
ମୌସୁମୀ ଆସିଲେ,
ବିଲରେ ବୁଣେ ବିହନ ।। (୪)

ମୁଣ୍ଡରେ ଗାମୁଛା ବାନ୍ଧି,
କରେ ସେ ହଳ ।
ସବୁଜିମା କ୍ଷେତରେ,
ଫଳାଏ ନାନା ଜାତି ଫଳ ।। (୫)

ନିଜ ରକତକୁ ପାଣି କରି,
ସର୍ବଦା ଖଟୁଥାଏ ।
ହାଡ ଭଙ୍ଗା ଶ୍ରମରେ,
ସଭିଙ୍କୁ ଆହାର ଯୋଗାଏ ।। (୬)

ନୂଆ ଫସଲ ଆରମ୍ଭ କରେ,
ଅସୁମାରୀ ସ୍ବପ୍ନ ନେଇ 
କିନ୍ତୁ ଅଭାବ ଅନଟନ,
ତା ପିଛା ଛାଡେ ନାହିଁ ।। (୭)

ଯେବେ ଆସେ ଦୈବ ଦୁର୍ବିପାକ,
ବନ୍ୟା ବାତ୍ୟା ମରୁଡି ।
ଶସ୍ୟ ଶ୍ୟାମଳା ସୁନାର ଫସଲକୁ,
ଦିଏ ଉଜାଡି ।। (୮)

ଜଞ୍ଜାଳର ଦୁଃଖ ଆଉ ସାହୁକାର ର,
ଋଣ ସୁଝି ନ ପାରି ।
ଜୀବନକୁ ବାଜି ଲଗେଇଦିଏ,
ଦୁଃଖରେ ମ୍ରିୟମାଣ ହୋଇ ।। (୯)

ନିଜ ଲୁହକୁ ନିଜେ ପିଇ,
କେବେ ତୁଣ୍ଡ ଖୋଲେ ନାହିଁ ।
କୃଷି ଆତ୍ମହତ୍ୟା ଭଳି ଘୃଣ୍ୟ କର୍ମକୁ,
ନେଇଯାଏ ଆପଣେଇ ।। (୧୦)


ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା 
ସାଲେପୁର
କଟକ