କୃଷକ
--  --------=
କୃଷକ ଭାଇ ରେ କୃଷକ ଭାଇ 
ତୋ ସମ କିଏ ଜଗତେ କାହିଁ 
ଖରା ବରଷାକୁ ନାହିଁ ତୋ ଡର 
ଯୋଗାଉଛୁ ତୁହି ବିଶ୍ୱେ ଆହାର   l 
ବଡି ଭୋରରୁ ଉଠି ସଅଳ 
କ୍ଷେତେ ଧରି ଯାଉ ହଳ ଲଙ୍ଗଳ 
ବୈଶାଖ ଖରାରେ ବୁଲାଇ ହଳ 
ଫଳାଉ କ୍ଷେତରେ ସୁନା ଫସଲ  l
ବୈଶାଖ ମାସର ଧୁ -ଧୁ  ଖରା 
ଆଷାଢ଼ ମାସର ବରଷାଧାରା 
ମାଘ ମାସର ବାଘୁଆ ଶୀତ 
ହସୁ ଥାଏ ତୋର ସୁନାର କ୍ଷେତ   l
ତୁହି ଅନ୍ନଦାତା ଜଗତ ଜାଣେ 
ସବୁଜ କ୍ଷେତ ତୋ ପ୍ରଗତି ଆଣେ 
ରାଷ୍ଟ୍ରର ସମୃଦ୍ଧି ତୋରି ପାଇଁ 
ଦୁଃଖ କଷ୍ଟ ତୋର ତୁଳନା ନାହିଁ  l
ହାଡ଼ ଭଙ୍ଗା ଶ୍ରମ କରି କ୍ଷେତରେ 
ଜୀବନଟା ତୋର ମିଶେ ମାଟିରେ 
ପଖାଳ କଂସା ତୋ ଜୀବନ ସାଥୀ 
କାହିଁକି ଆଜି ତୁ ସଂସାରେ ଦୁଃଖୀ ? 
ଭୋକ ଉପାସରେ କଟୁଛି ଦିନ 
ଇନ୍ଦିରା ଆବାସ ସାତ ସପନ 
ମିଳୁ ନାହିଁ ଆଜି ଫସଲ ମୁଲ 
କିଏ ହେବ ତୋର ସଙ୍ଗରେ ତୁଲ ? 
ପ୍ରତି ବର୍ଷ ଆସେ ମରୁଡି ବଢ଼ି 
କୃଷି କ୍ଷେତ ତୋର ଯାଏ ଉଜୁଡି 
ଆଖିରୁ ତୋର ଝରଇ ଲୁହ 
ପଚାରୁଛି ବାରେ ଜବାବ ଦିଅ   !
କୃଷକ ଭାଇରେ କୃଷକ ଭାଇ 
ସକଳ ଠୁଁ ସଞ୍ଜ କ୍ଷେତକୁ ଧାଇଁ 
କିଂପାଇଁ ତୋର ଘୁଁଞ୍ଚିନି ଦୁଃଖ 
ଚାଷ କାମେ ଅଛି ଅପାର ଦୁଃଖ ? 
    ++
ଡଃ ପଦ୍ମଲୋଚନ ରାଉତ 
କାଲିମେଳା, ମାଲକାନଗିରି l
  
0 Comments