ରାକ୍ଷୀ
__________&_______

ରାକ୍ଷୀ
🏵️🏵️
ନୁହେଁ ସେତ ଝଲମଲ
ଏକ ନିର୍ଜୀବ ସୂତାର ଖିଅ,
ପ୍ରାଣସତ୍ତାହୀନ ନିସ୍ପନ୍ଦ ସ୍ପନ୍ଦନ 
ଆବେଗହୀନ 
ସୁପ୍ତ ଚେତନାର ଏକ 
ତିକ୍ତ ଓ ରିକ୍ତ ଉପପାଦ୍ୟ ।।

ରାକ୍ଷୀ
🏵️🏵️
ନିଃସଙ୍ଗ ଜୀବନର 
ଏକ ସିକ୍ତ ଆବେଗ ,
ନିଃଶବ୍ଦ ମୁହୂର୍ତ୍ତର 
ଏକ ମୃଦୁ କୋଳାହଳ ,
ତପ୍ତ ମରୁରେ ଆଂଜୁଳାଏ
ଶୀତଳ ଚନ୍ଦନ ,
ଅନାବିଳ ସମ୍ପର୍କର
ଅତୁଟ ବନ୍ଧନ ।।

ରାକ୍ଷୀ 
🏵️🏵️
ସ୍ନେହ ମମତାର 
ଏକ ଉଜ୍ଜଳ ନକ୍ଷତ୍ର,
ପ୍ରୀତି ଅନୁରାଗର  
କଳକଳ ଫଲ୍ଗୁଧାର
ଏକ ମଧୁ ଗୁଂଜରଣ,
ପୁଣି ଏକ ଚିତ୍ରିତ ଫଗୁଣ ।।

ରାକ୍ଷୀ 
🏵️🏵️
ଏକ ନିରୋଳା ପ୍ରେମର 
ସ୍ନିଗ୍ଧ ଅନୁଭବ ,
ଅନନ୍ତ ମୂର୍ଛନା ର 
ମୁଗ୍ଧ ଅନ୍ତଃସ୍ବର,
ଉଦବେଳିତ ହୃଦୟର
ନିରନ୍ତର ମଧୁଝର,
ଲୁହ ଓ କୋହର
ବହଳ ଅନ୍ଧାରେ 
ଏକ ଚିତ୍ରିତ ଆଲୋକ ।।

ରାକ୍ଷୀ
🏵️🏵️
ଏକ ଅନନ୍ୟ ଚେତନାର
ନିଆରା ସମ୍ଭାଷଣ 
ମଧୁ ସମ୍ମୋହନ,
ଭିଜା ଭିଜା 
ମଧୁଗନ୍ଧା ଋତୁର
ମଧୁର ପାର୍ବଣ 
ପୁଣି ଛନ୍ଦ ଓ ଛାନ୍ଦର
ଛନ୍ଦାୟିତ ଆକର୍ଷଣ ।।

ରାକ୍ଷୀ
🏵️🏵️🏵️
ସୁରକ୍ଷାର ସଶକ୍ତ ପ୍ରାଚୀର,
କେତୋଟି ମୁହୂର୍ତ୍ତର ନୁହେଁ 
ବରଂ ଜନ୍ମ ଜନ୍ମର 
ଏକ ଅଲିଭା ସ୍ବାକ୍ଷର,
ଅସୁମାରି
ହିଂସା-କ୍ରୋଧ-ମାନ-ଅପମାନ
ଦୂରକୁ ଦୂରେଇ ଯିବାର
ଚିର ଈପସିତ
ଚିର ଗୁଂଜରିତ
ସ୍ନେହସିକ୍ତା ମଧୁ ପଣତର 
ପବିତ୍ର ଡୋର ।।

ରାକ୍ଷୀ 
🏵️🏵️🏵️
ଏକ ଉଚ୍ଛ୍ବସିତ ପୁଣ୍ୟ ତପୋବନ,
କେବେ ବିଗଳିତ
କେବେ ଆନ୍ଦୋଳିତ
ଛଳ ଛଳ ନିବୁଜ ଛାତିର
ମଧୁର କମ୍ପନ,
ପୁଣି କେବେ ସୁଖ ସୋହାଗର
ଚିର ଆହ୍ଲାଦିତ 
ଜାଜ୍ଜ୍ବଲ୍ୟମାନ ଦୃଶ୍ୟପଟ   
କେବେ ପୁଣି ସୁବାସିତ ପୁଷ୍ପଗୁଛ   ।।

ସୁଧାଂଶୁ କୁମାର ତ୍ରିପାଠୀ
ଗଂଜାମ