** " ରାକ୍ଷୀ " **
ଭାଇ ଭଉଣୀଙ୍କ ଦିନଟିଏ ପରା ,
ବର୍ଷକେ ଥରେ ଆସଇ ।
ଗହ୍ମା ପୁନେଇରେ ରାକ୍ଷୀ ବାନ୍ଧିବାକୁ,
ରହିଥାନ୍ତି ସେ ଅନେଇ ।।୧।।
ନିଜ ନିଜ ଖରଚରୁ ରଖିଥାନ୍ତି,
ରାକ୍ଷୀ ଟେ କିଣିବା ପାଇଁ,
ଭାଇ କିଣିଥାଏ କିଛି ଉପହାର,
ତା ଗେଲି ଭଉଣୀ ପାଇଁ ।।୨।।
ରାଗ ଋଷା ମାନ ଅଭିମାନ ସବୁ,
ହଜେଇ ଦିଅଇ ରାକ୍ଷୀ ।
ସୁତାଟିଏ ସ୍ନେହ ପ୍ରେମର ବନ୍ଧନ,
ରହିଥାଏ ପରା ସାକ୍ଷୀ ।।୩।।
ଭାଇର ମଥାରେ ସିନ୍ଦୁର ଚନ୍ଦନ,
ଅରୁଆ ଚାଉଳ ଫୁଲ,
ଦୁବ ବରକୋଳି ପତ୍ର ସାଥେ ଦୀପ,
କିଏ ବୁଝିବ ତା ମୂଲ ।।୪।।
କା ପାଖେ ନଥାଏ ନିଜର ଭଉଣୀ,
କା ପାଖରେ ପୁଣି ଭାଇ ।
ଭାରି କଷ୍ଟ ଲାଗେ ଏଇ ଦିନଟିଏ,
ଦୁଃଖରେ କେ ଯାଏ ଶୋଇ ।।୫।।
ଲେଖା ନାଇ ଖାଲି ଦୁନିଆରେ ଥିବ,
ଭାଇ ଭଉଣୀ କାହାର ।
ଟିକେ ସ୍ନେହ ଆଉ ପ୍ରେମ ଦେଲେ ପରା,
ପର ବି ହୁଏ ନିଜର ।।୬।।
ନିଜର ହେଉ କି ପର ଝିଅ ହେଉ,
ସବୁ ତ ଆମ ଭଉଣୀ ।
କେବେ କରିବାନି ଅସମ୍ମାନ ତାଙ୍କୁ,
ସେ ଗୋଟେ ଭାଇର ରାଣୀ ।।୭।।
ପ୍ରଭୁ ବଳଭଦ୍ରଙ୍କର ଜନ୍ମଦିନ,
ପାଳିଥାନ୍ତି ଏଇ ଦିନ ।
ପିଠାପଣା କରି ପୁଜନ୍ତି ଗୋ ମାତା,
ପରମ୍ପରା ରଖି ମନ ।।୮।।
ବଡ଼ଦେଉଳରେ କେଡେ ସରାଗରେ,
ଏ ଦିନ ପାଳନ ହୁଏ ।
ଜଗା ଓ ବଳିଆ ହାତେ ସୁଭଦ୍ରା ମା,
ରାକ୍ଷୀଟିଏ ବାନ୍ଧିଥାଏ ।।୯।।
ଭାଇ ଭଉଣୀର ପବିତ୍ର ବନ୍ଧନ,
ଜାଣେ ଏ ଜଗତ ସାରା ।
କରିବା ସୁରକ୍ଷା ଏ ନାରୀ ଜାତିର,
ସାକ୍ଷୀ ଏଇ ରାକ୍ଷୀ ପରା ।।୧୦।।
***
ପ୍ରତାପ ଚନ୍ଦ୍ର ପ୍ରଧାନ
ଆଳିପଡା,କଣାସ, ପୁରୀ, ୭୫୨୦୧୯
0 Comments