:: ଗୁରୁ ହିଁ ଈଶ୍ୱର ::
ଜନମ ହୋଇଲି ଯେବେ
ଏ ଧରା ଧାମରେ
ଶିଖାଇଥିଲ କି ମୋତେ
ଆର ଜନମରେ ? ।।
ମା' ଠାରୁ ଥନ ଶୋଷି
ଖାଇବାର ବିଧି
ତୁମେ ହିଁ ପ୍ରଥମ ଗୁରୁ
ହେ କରୁଣା ନିଧି ।।
ଭୋକ କଲେ ପେଟକୁ ମୋ
କାନ୍ଦିବାର କଳା
ସତେ କି ଶିଖାଇ ଥିଲ
ଆହେ ନନ୍ଦ ବଳା !
ତୁମେ ତ ବ୍ରହ୍ମାଣ୍ଡ ଗୁରୁ
ହେ ବିଶ୍ୱ ବିଧାତା
ତେଣୁ ତୁମେ ଏ ସଂସାରେ
ସର୍ବତ୍ର ପୂଜିତା ।।
ମାତା ପିତା ଗୁରୁ ରୁପେ
ସ୍ୱଦେହରେ ଅଛ
ହାତ ଧରି ଚାଲି ମୋତେ
ଶିଖାଇ ତ ଅଛ।।
ଅନ୍ଧାରରୁ ଆଲୋକକୁ
ଆଣିଛ ତ ମୋତେ
ମୋପାଇଁ ଈଶ୍ୱର ତୁମେ
କୃପା କର ସତେ ।।
ବିଦ୍ୟା ଦାନ କରି ମୋତେ
କରିଲ ମଣିଷ
ଶିକ୍ଷା ଗୁରୁ ଭାବେ ପୁଣି
ଦେଲେ ତ ଆଶିଷ ।।
ସତ୍ୟ ପଥେ ଚାଲିବାକୁ
ବତାଇଣ ବାଟ
ତାଙ୍କ କୃପା ପାଇ ହେଲି
ମୁହିଁ ଭଲ ଚାଟ ।।
ଅଜ୍ଞାନ ଅନ୍ଧାର ଠାରୁ
ଜ୍ଞାନ ଆଲୋକକୁ
କର୍ଣ୍ଣ ଗୁରୁ ସାଜି ଦେଲ
ଜ୍ଞାନ ଅଧମକୁ ।।
ପ୍ରକୃତି ମୋହର ଗୁରୁ
ଶିଖାଏ ସେ ମୋତେ
ବଞ୍ଚିବାର ଯେତେ କଥା
ଅଛିଏ ଜଗତେ ।।
ସତ୍ୟ ଗୁରୁ ଈଶ ତୁମେ
ନିତ୍ୟ ପୂଜାସ୍ପଦ
ପୂଜୁଛି ମଣିଷ ଜାତି
ଧରି ତୁମ ପଦ ।।
ପ୍ରଦୀପ କୁମାର ସାହୁ
ଚାନ୍ଦପୁର, ଜି-ନୟାଗଡ଼
0 Comments