କୃଷକ
ଖରା ବର୍ଷା ଶୀତ      କାକରକୁ ସହି 
          ଫସଳ ଫଳାଏ ଯିଏ 
ଆହାର ଯୋଗାଇ     ଦେଶକୁ ବଞ୍ଚାଏ 
          କୃଷକ ଅଟଇ ସିଏ  ।୧
ପରିଶ୍ରମ ତା'ର       ଦୁନିଆ ମୁଖରେ 
         ଯୋଗାଇଥାଏ ଆହାର 
ଲୋକଙ୍କ ମନରେ       ହସ ଭରିଦିଏ 
        କୋଟି କୋଟି ଜୀବନର  ।୨
ଲଙ୍ଗଳ ମୁନରେ      କରଇ ସେ ଚାଷ 
         ପ୍ରତିଦିନ ଯାଏ କ୍ଷେତ 
ଖରା ବର୍ଷା ଶୀତ       ସାଥିରେ କୃଷକ 
         ବସିଅଛି ପରା ମିତ  ।୩
ବିହନ ବୁଣାଠୁଁ       ଅମଳ ପର୍ଯ୍ୟନ୍ତ 
         ମାଟି ସହ ମିଶି ଥାଏ 
ପରିଶ୍ରମ କରି        ଅନେକ ଫସଲ 
          ଉତ୍ପାଦନ କରିଥାଏ  ।୪
ଚାଷର ଉପରେ       ନିର୍ଭର କରିଣ 
         ଚଳାଏ ତା ପରିବାର 
ପରିଶ୍ରମ କରି        ଫସଲ ଫଳାଇ 
        ଦେଶକୁ ଦିଏ ଆହାର  ।୫
ବନ୍ଯା ବାତ୍ଯା ପୁଣି      ମରୁଡ଼ି ଆସିଲେ 
          ବିପର୍ଯ୍ଯୟ ପ୍ରକୃତିର 
ତଥାପି କୃଷକ        ଭାଙ୍ଗିପଡେ ନାହିଁ 
       ଜାରିରଖେ ଚେଷ୍ଟା ତାର  ।୬
କୃଷି କାର୍ଯ୍ୟ ପାଇଁ      ଶୁଭ ଯେ ଅଟଇ 
          ଅକ୍ଷୟ ତୃତୀୟା ଦିନ 
ଏ ଦିନ କୃଷକ       ପୂଜାର୍ଚ୍ଚନା କରି 
          ଜମିରେ ବୁଣଇ ଧାନ  ।୭
ଦ୍ବାପର ଯୁଗରେ      ଚାଷ ଶିଖାଇଲେ 
         ବଳରାମ ପ୍ରଭୁ ସେହି 
ଲଙ୍ଗଳ ଧରିଣ        କୃଷକ ହୋଇଲେ 
          ହଳଧର ନାମ ବହି  ।୮
ଫସଲ ଯୋଗାଇ      ଜୀବନ ବଞ୍ଚାଏ 
          ଦେଶର କୃଷକ ପରା 
ସେଥିପାଇଁ ଶାସ୍ତ୍ରୀ       ଦେଇଯାଇଛନ୍ତି 
        ଜୟ କିଷାନ ର ନାରା  ।୯
ଅକ୍ଷୟ ତୃତୀୟା      ଗହ୍ମା ପୂର୍ଣ୍ଣିମା ଯେ 
          ପୁଷପୁନି ନୂଆଁଖାଇ 
ଉତ୍କଳେ ଏ ସବୁ        କୃଷକର ପୁଣି 
         ପ୍ରସିଦ୍ଧ ପର୍ବ ଅଟଇ  ।୧୦
ଅର୍ଥର ଅଭାବ      ଖାଦ୍ଯାଭାବସାଥେ 
         ବୁଡିଯାଏ ଋଣଭାରେ
ଏମିତି ଅଭାବେ        କୃଷକ ଭାସଇ 
       ଦୁଃଖ ଭରା ଦରିଆରେ  ।୧୧
କୃଷକ ପାଇଁକି        ବଞ୍ଚିଅଛି ଦେଶ 
           କରୁଥାଏ କର୍ମ ତାର 
ମୁଣ୍ଡର ଝାଳକୁ        ତୁଣ୍ଡରେ ମାରିଣ 
        ଯୋଗାଇଥାଏ ଆହାର  ।୧୨
ମାଟିର ପୂଜାରୀ        କୃଷକ ଭାଇଟି 
          ଗର୍ବ ନାହିଁ ହୃଦେ ତା'ର 
ଜନ ଉପକାରୀ      ଦେଶ ହିତକାରୀ 
       ଜାଣେ ନାହିଁ ଅତ୍ଯାଚାର ।୧୩
କୃଷକ ପାଇଁକି        କୃଷିର ଉନ୍ନତି
           ଦେଶର ହୁଏ ପ୍ରଗତି 
କୃଷି ଲାଭ ହେଲେ     ଦେଶ ଆଗେଇବ
          ଲାଭହେବ ଅର୍ଥନୀତି  ।୧୪
ବେଦବ୍ଯାସ ମେହେର 
ଗ୍ରାମ:-ଖଇରପାଲି 
ଥାନା:-ପଦ୍ମପୁର 
ଜିଲ୍ଲା:-ବରଗଡ 
ମୋ:-୯୯୩୮୩୩୯୦୨୯
  
0 Comments