କୃଷକ
ମାଟି ସାଥେ ସଦା ମାଟି ହୋଇଥାଏ
ମାଟିର ସନ୍ତାନ ସିଏ ,
ନିଜେ ଦୁଃଖ ସହି ଜଗତବାସୀଙ୍କୁ
ଆହାର ଯୋଗାଇ ଦିଏ ॥
ଖରା ବରଷା ଶୀତ କାକରକୁ
ଜମା ତ ଯାଏନି ଡରି ,
ଜୀବନ ସଂଗ୍ରାମେ ଭେଟୁଥାଏ ଝଡ
ତଥାପି ଯାଏନା ହାରି ॥
ମାଟି ଉପୁଜାଏ ସୁନାର ଫସଲ
ହଳ ନଙ୍ଗଳ ତା ସାଥୀ ,
ଘଡିଏ ତାହାର ବିରାମ ନ ଥାଏ
କାମେ ଥାଏ ସଦା ମାତି ॥
ମୁଣ୍ତର ଝାଳକୁ ତୁଣ୍ତରେ ମାରି
ଖଟୁଥାଏ ଖାଲି ମାଟି ,
ଅଭାବ କଷଣେ ସଢି ଗଲେ ବି ତ
ସହଜେ ଫିଟାଏନା ପାଟି ॥
କେବେ ବନ୍ଯା କେବେ ମରୁଡି ପୁଣି
କେବେ ଦୈବି ଦୁର୍ବିପାକ ,
ତଥାପି କୃଷକ ଭାଙ୍ଗି ନ ପଡି
ସକାଳୁ ଯାଏ ତା କ୍ଷେତ ॥
ଚାଳ ଛଣ ଆଉ ଛପର ଘର ତା
ହୁଏ ନାହିଁ କେବେ ପକ୍କା ,
କୃଷକଟେ ବୋଲି ପ୍ରତି ପାଦେ ପାଦେ
ଖାଉଥାଏ ସିଏ ଧକ୍କା ॥
ଋଣର ଭାରରେ ନଇଁ ପଡୁଥାଏ
ସଳଖି ପାରେନା ଅଣ୍ଟା ,
ସରକାରଙ୍କର ଯେତକ ଯୋଜନା
ତାକୁ ହୁଏ ନାହିଁ ବଣ୍ଟା ॥
ଆହାର ଅଟଇ ବାସି ପଖାଳ
ଜୀବନ ଯାପନ ସରଳ ତାର ,
ସବୁ ପ୍ରତିକୂଳ ପରିସ୍ଥିତିରେ ବି
ଜିଇଁଛି କୃଷକ ମାନିନି ହାର ॥
××××××××××××××××××××××××
ଯୁବରାଜ କୁଦେଇ
ଇଛାପୁର,ଡୁଙ୍ଗୁରିପାଲି,ସୁବର୍ଣ୍ଣପୁର
ମୋ‐ ୯୯୩୮୮୧୩୭୦୬
0 Comments