କୃଷକ
-----------
ଅକ୍ଷୟ ତୃତୀୟା ଶୁଭ ଅନୁକୂଳେ
ଅକ୍ଷି ମୁଠି ବୁଣିଦେଇ
ଆକାଶ ମାଟିର ମିଳନ ପର୍ବକୁ
କୃଷକ ରହଇ ଚାହିଁ।।
ଉତ୍କଳ ଭୂମିର କୃଷି ପରମ୍ପରା
ସଂସ୍କୃତିର ଇତିହାସ
ନିଦାଘ ଶେଷରେ ସର୍ଜନାର ଋତୁ
ବରଷା ରାଣୀ ପ୍ରବେଶ।।
ନୂଆ ସମ୍ଭାବନା, ନୂଆ ଉନ୍ମାଦନା
ମନରେ କୃଷକ ଭାଇ
କାଳିଆ, କସରା ବଳଦ ଯୋଚଇ
ହର୍ଷୋଲ୍ଲାସେ ଗୀତ ଗାଇ।।
ନିଦାଘ ରୌଦ୍ରର ପ୍ରଚଣ୍ଡ ଉତ୍ତାପେ
ଭୂମିକୁ କର୍ଷଣ କରି
ଝଡ଼ି ବରଷାରେ ଭିଜିଭିଜି ପୁଣି
ରୁଆ ପୋତା ଦିଏ ସାରି।।
ହାଡଭଙ୍ଗା ଜାଡ଼ ଶୀତ କାକରରେ
ଉଠି କାଳି ଅନ୍ଧାରରୁ
ଧାନକିଆରୀରେ ବାଉଁଶ ମଡ଼ାଏ
ପ୍ରଭାତ ହେବା ଆଗରୁ।।
ଖରା, କାକର ବା ଝଡ଼ ତୋଫାନକୁ
କୃଷକ ନକରି ଭୀତି
ବାଡିବଗିଚାରେ ଫଳାଏ ଫସଲ
ଫୁଲ, ଫଳ ନାନା ଜାତି।।
ଜୀବନ ଯୁଦ୍ଧରେ ଯୋଦ୍ଧାଟିଏ ସାଜି
କୃଷି କର୍ମେ ଦେଇ ମନ
ମୁଣ୍ଡ ଝାଳ ତୁଣ୍ଡେ ମାରିଣ କୃଷକ
ଯୋଗାଏ ସଂସାରେ ଅନ୍ନ।।
ମାଟିଦେବତାର ପୂଜା କରିଥାଏ
ଲହୁ ଲୁହ ବଳୀ ଦେଇ
ମାଟି କିଆରୀରେ ସ୍ବର୍ଣ୍ଣିମ ଫସଲ
ଦେଶ ମେରୁଦଣ୍ଡ ସେଇ।।
ମନ, ହୃଦୟର ଭୋକ ଚାପିରଖି
ସେବାକୁ ଜୀବନ ଧର୍ମ
ଦେଶପାଇଁ ଖାଦ୍ୟ, ବସ୍ତ୍ର ଯୋଗାଡରେ
କରଇ ମହତ କର୍ମ।।
କେବେ ପ୍ରକୃତିର କରାଳ ଗ୍ରାସରେ
ବନ୍ୟା ତ କେବେ ମରୁଡ଼ି
ଜୀବନ, ଯାତନା, ଯନ୍ତ୍ରଣା ବୋଝରେ
ଯାଏ ତା' ସ୍ୱପ୍ନ ଉଜୁଡ଼ି।।
ମାଟିର ମଣିଷ ପ୍ରକୃତିର ବନ୍ଧୁ
ବିଶ୍ୱ ଜନତାର ପାଇଁ
ପଖାଳ ପାଣିକୁ ଛିଣ୍ଡା ଗାମୁଛାରେ
ଜୀବନ ଜଞ୍ଜାଳ ଜୀଇଁ।।
କୃଷକ ଭାଇର ହାତର ସ୍ପର୍ଶରେ
ପ୍ରକୃତି ମା' ହସିଉଠେ
ପଡ଼ିଆ ଜମି ବି ଉର୍ବର ହୁଅଇ
ସବୁଜିମା ଭରିଉଠେ।।
ମାଟିର ମଣିଷ କୃଷକ ଭାଇଟି
ବାରମାସ ଖଟୁଥାଏ
ଫୁଙ୍ଗୁଳା ଦେହରେ ଝାଳଗନ୍ଧ ପିଇ
ବିଶ୍ୱ ମହାକାଉ ଥାଏ।।
ବୀର ଯୋଦ୍ଧା ଆମ କୃଷକ ଭାଇଟି
ମେରୁଦଣ୍ଡ ସମାଜର
କୃଷି ଓ କୃଷକ ଉନ୍ନତି ଘଟିଲେ
ଦୁଃଖ ଯିବ ଦୁନିଆର।।
କୃଷି, କୃଷକର ହିତେ ସରକାର
ଆଣନ୍ତି ନୂଆ ଯୋଜନା
ଦେଶ ଭବିଷ୍ୟତ ସଚେତନ ହେଲେ
ହେବନି ବାଟମାରଣା।।
କୃଷକ ଭାଇର କୃଷି ହିଁ ସମ୍ପଦ
ପୁତ୍ର, କନ୍ୟା, ସୁଖ, ଶିରୀ
ସ୍ନେହ, ସହୃଦୟେ କୃଷକ ଖୁସିରେ
ଜଗତ ଉଠିବ ପୁରି।।
ପ୍ରାଣୀ ଜଗତର ଅନ୍ନଦାତା ସିଏ
ତା'ବିନା ଜୀବନ ନାହିଁ
ଯୁଗେଯୁଗେ ତା'ର ଋଣ ସାତଜନ୍ମେ
ସୁଝିତ ପାରିବା ନାହିଁ।।
--ଈଶ୍ୱରୀ ବେହେରା
ସୋର, ବାଲେଶ୍ଵର ।
0 Comments