କୃଷକ
"""""""""""
ସବିତା କିରଣ ନପଡୁଣୁ ଧରାରେ
କ୍ଷେତରେ ପାଟି ଶୁଭଇ
ନିଜ କଥା ଭୁଲି ଫସଲ କରେ ଯେ
ସେ ଆମ କୃଷକ ଭାଇ।
ଲଙ୍ଗଳ,ବଳଦ,କୋଡି,କୋଦାଳ
ଆଜୀବନ ସାଥି ତାର
ମୁଠାଏ ପଖାଳ ଶାଗ ପିଆଜ ରେ
ପୁରାଏ ନିଜ ଉଦର।
ମୁଣ୍ଡର ଝାଳ ତୁଣ୍ଡରେ ମାରି
ଖଟେ ସେ ବାରମାସ
ଝଡ ବତାସକୁ ଖାତିର କରେନା
ସ୍ଵାଭିମାନୀ ମାଟିର ମଣିଷ।
ଖରା ବର୍ଷା ଅବା ଶୀତ କି କାକର
ଭାଙ୍ଗିପାରେନା ତା ମନୋବଳ
ସ୍ଵେଦ ନିଗାଡି କଠିନ ଶ୍ରମ କରି ବି
ପାଏନା ତା ଶ୍ରମର ମୂଲ।
ତଥାପି ହାରେନି ହସୁଥାଏ ସିଏ
ଲୁହକୁ ଆହୁତି ଦିଏ
ମନର ବେଦନା ମନରେ ମାରେ ସେ
ସହାନୁଭୂତି ନ ଚାହେଁ।
ବରଷା ସ୍ପର୍ଶ ରେ ବୁଣିଥିବା ବୀଜ
ଯେବେ ଅଙ୍କୁରିତ ହୁଏ
ତାକୁ ଦେଖିଦେଲେ କୃଷକର ମନ
ଆନନ୍ଦରେ ମୋହିଯାଏ।
ତା ପାଇଁ ପ୍ରକୃତି ଶୋଭାର ଭଣ୍ଡାର
ଜୀବ ପାଉଛି ଆହାର
ମଧୁ ସଂଗହରେ ମତ୍ତ ମଧୂପ
ଭ୍ରମର କରେ ବିହାର।
ତା ପରି ପରୋପକାରୀ ବନ୍ଧୁ ଥିଲେ
ବନ୍ଧୁ ଆଉ ଲୋଡା ନାହିଁ
ତା ତ୍ୟାଗ ଆଗରେ ସବୁକିଛି ତୁଚ୍ଛ
ଆପେ ମସ୍ତକ ଯାଉଛି ନଇଁ।
ଶର୍ମିଷ୍ଠା ସାହୁ
ହାଇଦ୍ରାବାଦ
ତେଲେଙ୍ଗାନା
0 Comments